Unknown

ଶ୍ରୀଅନନ୍ତ ବାସୁଦେବ ଶିଳାଲିପି

ଶ୍ରୀ ରାଧାକୃଷ୍ଣ ବସୁ

 

ମୁଖବନ୍ଧ

ଭାରତବିଖ୍ୟାତ ଭୁବନେଶ୍ୱର-ମନ୍ଦିରର ନିକଟସ୍ଥ ପୁଣ୍ୟସଲିଳ ବିନ୍ଦୁସାଗରର ପୂର୍ବତଟରେ ଶ୍ରୀଅନନ୍ତବାସୁଦେବଙ୍କ ମନ୍ଦିର ଅବସ୍ଥିତ ।

 

ଭବଦେବଙ୍କ କୁଳପ୍ରଶସ୍ତି ର ସଂକ୍ଷିପ୍ତ ଇତିହାସ ।

ସିନ୍ଧଳଗ୍ରାମବାସୀ ଭବଦେବଭଟ୍ଟ ଏହି ଶିଳ୍ପଚାତୁରୀପୂର୍ଣ୍ଣ ସୁବୃହତ୍‌ ମନ୍ଦିରକୁ ସୁଶୋଭିତ କରି ଶ୍ରୀଅନନ୍ତବାସୁଦେବଙ୍କୁ ପ୍ରତିଷ୍ଠା କରିଥିଲେ । ତାହାଙ୍କର ପ୍ରିୟ ମିତ୍ର ଶ୍ରୀବାଚସ୍ପତି ମିଶ୍ର ସମ୍ଭବତଃ ଦ୍ୱାଦଶ କିମ୍ୱା ତ୍ରୟୋଦଶ ଶତାବ୍ଦିରେ ଏହି ପ୍ରଶସ୍ତି ରଚନା କରିଥିଲେ । ଏହା ଊନବିଂଶ ଶତାବ୍ଦିର ମଧ୍ୟଭାଗ ପର୍ଯ୍ୟନ୍ତ ମନ୍ଦିରର ଅଭ୍ୟନ୍ତରରେ ପରିରକ୍ଷିତ ହୋଇଥିଲା । ପରେ କିଟୋସାହେବ ମେଘେଶ୍ୱରଲିପି ସହିତ ଏ ଖଣ୍ଡିକ ମଧ୍ୟ ପ୍ରାଚୀରଗାତ୍ରରେ ସନ୍ନିବିଷ୍ଟ କରି ଦେଲେ । ଏହି ଶିଳାଫଳକର ଆୟତନ, ଦୈର୍ଘ୍ୟରେ ଦୁଇହାତ ଚାରି ଅଙ୍ଗୁଳି ଏବଂ ପ୍ରସ୍ଥରେ ଏକ ହାତ ଦୁଇ ଅଙ୍ଗୁଳି ଅଟେ । ଏଥିରେ ସର୍ବମୋଟ ୨୫ ପଙ୍‌କ୍ତି ଉତ୍କୀର୍ଣ୍ଣ ହୋଇଅଛି । ଅକ୍ଷର ଗୁଡ଼ିକ ଏକ ଅଙ୍ଗୁଳି ପରିମିତ ଅଟେ ।

 

ମନ୍ଦିରସଂସ୍କାରର ପ୍ରୟୋଜନୀୟତା-

ଶ୍ରୀଅନନ୍ତବାସୁଦେବଙ୍କ ମନ୍ଦିର ବହୁକାଳ ହେଲା ଉପଯୁକ୍ତରୂପେ ମରାମତ ହୋଇ ନ ଥିବାରୁ ଅବିଳମ୍ୱେ ଏହାର ଜୀର୍ଣ୍ଣସଂସ୍କାର କରିବା ଆବଶ୍ୟକ ହେଉଅଛି । ଏହାର କେତେଗୁଡ଼ିଏ କବାଟ ମରାମତ ବା ନବନିର୍ମିତ ହେବା ଆବଶ୍ୟକ । ବେଢ଼ା ମଧ୍ୟରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ମନ୍ଦିରର ଭଗ୍ନାବଶେଷ ମାତ୍ର ରହିଅଛି । ଏହି ମନ୍ଦିରଦ୍ୱୟ ପୁନନିର୍ମିତ ହେବା ଏକାନ୍ତ ଆବଶ୍ୟକ । ପୂର୍ବେ ମନ୍ଦିରର ପୂର୍ବ ଉତ୍ତର ପାର୍ଶ୍ୱରେ ଗୋଟିଏ ରମଣୀୟ ଉଦ୍ୟାନ ଥିଲା * । ତାହାର ମଧ୍ୟ ନବୀକରଣ ପ୍ରୟୋଜନ । ଏହି ସମସ୍ତ କାର୍ଯ୍ୟ ନିମିତ୍ତ ବହୁସହସ୍ର ଟଙ୍କା ଆବଶ୍ୟକ । ଭାରତର ପ୍ରସିଦ୍ଧ ଶିବକ୍ଷେତ୍ରରେ ଥିବା ବିଷ୍ଣୁମନ୍ଦିରଟିର ସର୍ବାଙ୍ଗୀନ ଉନ୍ନତି ବିଧାନ କରିବା ପ୍ରତ୍ୟେକ ହିନ୍ଦୁର ବିଶେଷତଃ ବୈଷ୍ଣବମାନଙ୍କର ସର୍ବତୋଭାବରେ କର୍ତ୍ତବ୍ୟ ଅଟେ । ପ୍ରତ୍ୟେକ ବ୍ୟକ୍ତି ଏହି ସଂସ୍କାର ନିମିତ୍ତ ଯଥାଶକ୍ତି ଦାନ କଲେ ଏହାର ସମସ୍ତ ଅଭାବ ଦୂର ହୋଇ ମନ୍ଦିରଟି ଅଚିରେ ଅପୂର୍ବ ଶ୍ରୀ ଧାରଣ କରିବ । ଆମ୍ଭମାନଙ୍କର ଏହି ପୁସ୍ତକର ବିକ୍ରୟଲବ୍ଧ ଅର୍ଥ ଶ୍ରୀଅନନ୍ତବାସୁଦେବଙ୍କ ମନ୍ଦିର ମରାମତ କାର୍ଯ୍ୟରେ ବ୍ୟୟିତ ହେବ । ଭବିଷ୍ୟତରେ ଆଉ କେତେକ ଖଣ୍ଡ ଉତ୍କୀର୍ଣ୍ଣଲିପି ପ୍ରକାଶ କରିବାର ବାସନା ରହିଲା । ଇତି ।

 

ପ୍ରକାଶକ ।

 

* ୩୨ ଶ୍ଳୋକ ଦେଖ ।

 

ଶ୍ରୀଅନନ୍ତବାସୁଦେବଶିଳାଲିପି

———————

ଓଁ ନମୋ ଭଗବତେ ବାହୁଦେବାୟ ।

 

ଗାଢ଼ୋପଗୂଢ଼କମଳାକୁଚକୁମ୍ଭପତ୍ର-

ମୁଦ୍ରାଙ୍କିତେବ ବପୁଷା ପରିରୀପ୍ସମାନଃ ।

ମାଲୁପ୍ୟତାମଭିନବା ବନମାଳିକେତି

ବାଗ୍ଦେବ୍‌ତୋପହସିତୋଽସ୍ତୁ ହରିଃ ଶ୍ରିୟେ ବଃ । ୧ ।

 

ଯେ କମଳାଙ୍କୁ ଗାଢ଼ରୂପେ ଆଲିଙ୍ଗନ କରିବାରୁ ତାହାଙ୍କର କୁଚକୁମ୍ଭୋପରିସ୍ଥ ପତ୍ରାବଳୀରଚନା ଦ୍ୱାରା ( ସ୍ୱୀୟ ବକ୍ଷଃସ୍ଥଳରେ ) ଅଙ୍କିତ ହୋଇ ପରେ ସରସ୍ୱତୀଙ୍କ ଆଲିଙ୍ଗନ କରିବାକୁ ଅଭିଳାଷୀ ହୁଅନ୍ତେ-‘‘ତୁମ୍ଭର ଅଭିନବ ବନମାଳା ନଷ୍ଟ କର ନାହିଁ ’’ ଏହା ବୋଲି ବାଗ୍ଦେବୀକର୍ତ୍ତୃକ ଉପହସିତ ହେଉଅଛନ୍ତି, ସେହି ହରି ତୁମ୍ଭମାନଙ୍କର ମଙ୍ଗଳ ବିଧାନ କରନ୍ତୁ । ୧।

 

ବାଲ୍ୟାତ୍ ପ୍ରଭୃତ୍ୟହରହର୍ଯଦୁପାସିତାସି

ବାଗ୍ଦେବତେ ତଦଧୁନା ଫଳତୁ ପ୍ରସୀଦ ।

ବକ୍ତାସ୍ମି ଭଟ୍ଟଭବଦେବକୁଳପ୍ରଶସ୍ତି-

ସୂକ୍ତାକ୍ଷରାଣି ରସନାଗ୍ରମଧିଶ୍ରୟେଥାଃ । ୨ ।

 

ହେ ବାଗ୍ଦେବି ! ମୁଁ ବାଲ୍ୟକାଳାବଧି ପ୍ରତ୍ୟହ ତୁମ୍ଭର ଯେଉଁ ଉପାସନା କରୁଅଛି ତାହା ବର୍ତ୍ତମାନ ଫଳବତୀ ହେଉ, ତୁମ୍ଭେ ମୋ ପ୍ରତି ଅନୁଗ୍ରହ କର । ମୁଁ ମଧୁର ପଦବିନ୍ୟାସପୂର୍ବକ ଭବଦେବଭଟ୍ଟଙ୍କର କୁଳପ୍ରଶସ୍ତି ବର୍ଣ୍ଣନ କରିବାକୁ ବସିଅଛି; ତୁମ୍ଭେ ମୋର ରସନାର ଅଗ୍ରଭାଗକୁ ଆଶ୍ରୟ କର ।୨।

 

ସାବର୍ଣ୍ଣସ୍ୟ ମୁନେର୍ମହୀୟସି କୁଳେ ଯେ ଜଜ୍ଞିରେ ଶ୍ରୋତ୍ରିୟା-      

ସ୍ତେଷାଂ ଶାସନଭୂମୟୋଽଜନି ଗୃହଂ ଗ୍ରାମାଃ ଶତଂ ସନ୍ତତେଃ ।

ଆର୍ଯ୍ୟାବର୍ତ୍ତଭୁବାଂ ବିଭୁଷଣମିହ ଖ୍ୟାତସ୍ତୁ ସର୍ବାଗ୍ରିମୋ

ଗ୍ରାମଃ ସିଦ୍ଧଳ ଏବ କେବଳମଳଙ୍କାରୋଽସ୍ତି ରାତାଶ୍ରିୟଃ ।୩।

 

ସାବର୍ଣ୍ଣ ମୁନିଙ୍କର ସୁମହାନ୍ ବଂଶରେ ଯେ ସକଳ ଶ୍ରୋତ୍ରିୟ ବ୍ରାହ୍ମଣ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କର ସନ୍ତାନସନ୍ତତିଗଣ ରାଜପ୍ରଦତ୍ତ ଏକଶତ ଗୋଟି ଗ୍ରାମରେ ବାସ କରୁଥିଲେ । ତନ୍ମଧ୍ୟରେ ଆର୍ଯ୍ୟାବର୍ତ୍ତଭୂମିର ଭୂଷଣସ୍ୱରୂପ ସିଦ୍ଧଳ ଗ୍ରାମହିଁ ସର୍ବଶ୍ରେଷ୍ଠ ଏବଂ ସର୍ବତ୍ର ବିଖ୍ୟାତ ହୋଇ ରାଢ଼ଲଷ୍ମୀର ଅଳଙ୍କାରସ୍ୱରୂପ ବର୍ତ୍ତମାନ । ୩।

 

ସତ୍‌ପଲ୍ଲବଃ ସ୍ଥିତିମୟୋ ବୃଢ଼ବଦ୍ଧମୂଳଃ

ଶାଖାଗ୍ରଲଗ୍ନମୁଖରଦ୍ୱିଜଶୀଳିତଶ୍ରୀଃ ।

ନ ଗ୍ରନ୍ଥିଳୋ ନ କୁଟିଳଃ ସରଳଃ ସୁପର୍ବା

ସର୍ବ୍ବୋନ୍ନତଃ ସୁଖମିହ ପ୍ରସସାର ବଂଶଃ । ୪ ।

 

ବଂଶ ଅର୍ଥାତ୍ ବାଉଁଶ ଯେପରି ସୁନ୍ଦର ପତ୍ରବିଶିଷ୍ଟ, ବହୁକାଳସ୍ଥାୟୀ, ଦୃଢ଼ମୂଳ, ଶାଖାଗ୍ରରେ ଶବ୍ଦାୟମାନ ପକ୍ଷିମାନଙ୍କର କୂଜନଦ୍ୱାରା ଶୋଭିତ, ଗଣ୍ଠିରହିତ ସୁତରାଂ ସରଳ , ସୁନ୍ଦର ପବବିଶିଷ୍ଟ ଓ ସର୍ବୋନ୍ନତ ହୋଇ ବର୍ଦ୍ଧିତ ହୁଏ, ସେହିପରି ଏଠାରେ ବଂଶ ଅର୍ଥାତ୍ କୁଳ, ଶାଖାପ୍ରଶାଖାବିଶିଷ୍ଟ, ଦୀର୍ଘକାଳସ୍ଥାୟୀ, ଦୃଢ଼ବନ୍ଧମୂଳ, ବେଦବେଦାଙ୍ଗପାଠୀ ବାଗ୍ମୀ ବ୍ରାହ୍ମଣମାନଙ୍କ ଦ୍ୱାରା ଶୋଭମାନ, ଛନ୍ଦକୁଟିଳତା ବରହିତ ସୁତରାଂ ସରଳସ୍ୱଭାବ, ବ୍ରତପୂଜାଦି ଧର୍ମ୍ମକାର୍ଯ୍ୟ ନିରତ ଏବଂ ସର୍ବଶ୍ରେଷ୍ଠ ହୋଇ ବିସ୍ତାରିତ ହୋଇଥିଲା ।୪।

 

ତଦ୍ଦଂଶୋତ୍ତଂସମଣିଃ ଫଳସ୍ୟ ଦାତାପି ତାପନପ୍ରତିମଃ ।

ଭବ ଇବ ବିଦ୍ୟାତନ୍ତ୍ରପ୍ରସବଃ ପ୍ରବଭୁବ ଭବଦେବଃ । ୫ ।

 

ସେହି ବଂଶର ଶିରୋଭୂଷଣ ତୁଲ୍ୟ, ସମସ୍ତ ସଦାଚାରିମାନଙ୍କ ବାଞ୍ଛାପୂର୍ଣ୍ଣକାରୀ ହେଲେ ମଧ୍ୟ ଦୁରାଚାରିଙ୍କ ପ୍ରତି ସୁର୍ଯସମ ତେଜସ୍ୱୀ ଅର୍ଥାତ୍ ଦୁର୍ଦ୍ଧର୍ଷ ଏବଂ ଶିବଙ୍କ ତୁଲ୍ୟ ବିବିଧ ବିଦ୍ୟାତନ୍ତ୍ରପ୍ରବର୍ତ୍ତକ ( ପ୍ରଥମ ) ଭବଦେବ ଜାତ ହେଲେ । ୫ ।

 

ଅଗ୍ରଜାନୁଜୟୋର୍ମଧ୍ୟେ ମହାଦେବାଟ୍ଟହାସୟୋଃ ।

ସ ଜଜ୍ଞେ ଯଜ୍ଞପୁରୁଷୋ ବିରଞ୍ଚିହରୟୋରିବ । ୬ ।

 

ବ୍ରହ୍ମା ଓ ହର ଏହି ଦୁହିଙ୍କ ମଧ୍ୟରେ ଯେପରି ଯଜ୍ଞପୁରୁଷ ( ହରି ), ଉତ୍ପନ ହୋଇଥିଲେ ସେ ମଧ୍ୟ ସେହିପରି ମହାଦେବ ଏବଂ ଅଟ୍ଟହାସ ନାମରେ ଦୁଇ ଅଗ୍ରଜ ଓ ଅନୁଜଙ୍କ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ।୬।

 

ସ ଶାସନଂ ଗୌଡ଼ନୃପାଦବାପ

ଶ୍ରୀହସ୍ତିନୀଦିଷ୍ଟ ମହୀଷ୍ଟଭୂମିଃ ।

ଅଷ୍ଟୌସୁତାନଷ୍ଟ ମହେଶମୂର୍ତ୍ତି-

ପ୍ରଖ୍ୟାନ୍ ବିଜଜ୍ଞେଽଥ ରଥାଙ୍ଗମୁଖ୍ୟାନ୍ । ୭ ।

 

ସେ ଗୌଡ଼ାଧିପତିଙ୍କଠାରୁ ଶ୍ରୀହସ୍ତିନୀ ନାମରେ ଗୋଟିଏ ଅତି ମନୋମତ ଶାସନ (ଗ୍ରାମ) ପ୍ରାପ୍ତ ହୋଇଥିଲେ । ଅନନ୍ତର ମହାଦେବଙ୍କର ଅଷ୍ଟମୂର୍ତ୍ତି ସଦୃଶ ରଥାଙ୍ଗ ପ୍ରମୁଖ ଆଠଗୋଟି ପ୍ରଧାନ ସୂତ୍ର ଉତ୍ପାଦନ କରିଥିଲା । ୭ ।

 

ରଥାଙ୍ଗାଂଦୟଙ୍ଗଃ ସମଜନି ଜନାନନ୍ଦଜନନଃ

ଶଶୀବ କ୍ଷୀରୋଦାଦବିକଳକଳାକେଳିନିଳୟଃ ।

ସ୍ଫୁରତ୍‌ପ୍ରଜ୍ଞାଜ୍ୟୋତିଃ ସ୍ଫୁରିତ ଇତି ନାମ୍ନା ଦିଶି ଦିଶି

ପ୍ରକାଶୋଽଭୂତ୍ସୌମ୍ୟ ଗ୍ରହ ଇବ ବୁଧସ୍ତସ୍ୟ ତନୟଃ । ୮ ।

 

କ୍ଷୀରସମୁଦ୍ରରୁ ଚନ୍ଦ୍ରପରି ରଥାଙ୍ଗଙ୍କଠାରୁ ଲୋକମାନଙ୍କର ଆନନ୍ଦ ଜନୟିତା, ସମ୍ପୂର୍ଣ୍ଣ କରୂଳା ଓ କେଳିର ନିଳୟସ୍ୱପ ଅତ୍ୟଙ୍ଗ ଜନ୍ମଗ୍ରହଣ କରିଥିଲେ । ଚନ୍ଦ୍ରଙ୍କଠାରୁ ବୁଧଗ୍ରହ ପରି ବୁଧ ନାମରେ ତାହାଙ୍କର (ଅତ୍ୟଙ୍ଗଙ୍କର) ଗୋଟିଏ ପୁତ୍ର ହୋଇଥିଲା ଓ ଏହାଙ୍କର ( ବୁଧଙ୍କର ) ପ୍ରଜ୍ଞାପ୍ରଭା ବିଶେଷରୂପେ ସ୍ଫୁରିତ ବୋଲି ଏ ସ୍ଫୁରିତ ନାମରେ ସର୍ବତ୍ର ପ୍ରକାଶ ହୋଇଥିଲେ । ୮ ।

 

ତସ୍ମାଦଭୂଦଭିଜନାଭ୍ୟୁଦୟୈକବୀଜ-

ମବ୍ୟାଜପୌରୁଷମହାତରୁମୂଳକନ୍ଦଃ ।

ଶ୍ରୀଆଦିଦେବ ଇତି ଦେବ ଇବାଦିମୂର୍ତ୍ତି-

ର୍ମ୍ମର୍ତ୍ତ୍ୟାତ୍ମନା ଭୁବନମେତଦଳଂକରିଷ୍ଣୁଃ । ୯ ।

 

ତାହାଙ୍କ ( ବୁଧଙ୍କ ) ଠାରୁ କୁଳଶ୍ରୀବୃଦ୍ଧିର ଏକମାତ୍ର କାରଣ, ଅକପଟ ପୁରୁଷକାରମହାତରୁର ମୂଳଗଣ୍ଡିସ୍ୱରୂପ, ମାନବରୂପରେ ଭୁବନର ଅଳଙ୍କାରକାରୀ ଭଗବାନ୍ ଆଦିଦେବଙ୍କପରି ଶ୍ରୀଆଦିଦେବ ଉତ୍ପନ୍ନ ହୋଇଥିଲେ । ୯।

 

ଯୋ ବଙ୍ଗରାଜରାଜ୍ୟଶ୍ରୀବିଶ୍ରାମ-ସଚିବଃ ଶୁଚିଃ ।

ମହାମନ୍ତ୍ରୀ ମହାପାତ୍ରମବନ୍ଧ୍ୟସନ୍ଧିବିଗ୍ରହୀ । ୧୦ ।

 

ଯେ ବଙ୍ଗାଧିପଙ୍କର ରାଜ୍ୟଲକ୍ଷ୍ମୀର ବିଶ୍ରାମସଚିବ, ମହାମନ୍ତ୍ରୀ, ମହାପାତ୍ର ଓ ଅବ୍ୟର୍ଥ ସନ୍ଧି-ବିଗ୍ରହୀ ଥିଲେ । ୧୦।

 

ସଦେବକୀଗର୍ଭଭବଂ ଭୁବସ୍ଥିତୌ

ସମର୍ଥମୁଚ୍ଚୈଃ ପଦଲବ୍ଧପୌରୁଷଂ ।

ସରସ୍ୱତୀଜାନିମଜୀଜନତ୍ନ ସୁତଂ

ଜଗତ୍ସୁ ଗୋବର୍ଦ୍ଧନମଦ୍ଭୁତୋପମଂ । ୧୧ ।

 

ବିଷ୍ଣୁଙ୍କ ତୁଲ୍ୟ ସେହି ଆଦିଦେବଙ୍କର ପତ୍ନୀ ଦେବକୀଙ୍କ ଗର୍ଭରୁ ଗୋବର୍ଦ୍ଧନନାମକ ଜଗତରେ ଅଦ୍ଭୁତୋପମାର ସ୍ଥଳ ଏକ ପୁତ୍ର ଜାତ ହେଲେ । ବିଷ୍ଣୁ ଦେବକୀଗର୍ଭସମ୍ଭୂତ, ଭୂପାଳନସମର୍ଥ, ବାମନାବତାରରେ ଆକାଶ ପ୍ରତି ପଦବିସ୍ତାରଦ୍ୱାରା ପୌରୁଷପ୍ରାପ୍ତ, ସରସ୍ୱତୀବଲ୍ଲଭ; ପୁଣି ଗୋବର୍ଦ୍ଧନ, ଦେବକୀନାମ୍ନୀ ମାତାଙ୍କଠାରୁ ଜାତ, ରାଜ୍ୟଶାସନନିପୁଣ, ଉଚ୍ଚୋପାଧିଧାରଣ ହେତୁ ପ୍ରସିଦ୍ଧ ଓ ସରସ୍ୱତୀନାମ୍ନୀଜାୟାର ବଲ୍ଲଭ ଥିଲେ । ୧୧ ।

 

ବୀରସ୍ଥଳୀଷୁ ଚ ସଭାସୁ ଚ ତାତ୍ତ୍ୱିଂକାନାଂ

ଦୋର୍ଲୀଳୟା ଚ କଳୟା ଚ ବଚସ୍ୱିନାଂ ଯଃ ।

ଯୋ ବର୍ଦ୍ଧୟନ୍ ବସୁମତୀଂ ଚ ସରସ୍ୱତୀଂ ଚ

ଦ୍ୱେଧା ବ୍ୟଧତ୍ତ ନିଜନାମପଦଂ ସଦର୍ଥଂ । ୧୨ ।

 

ଯେଉଁ ଗୋବର୍ଦ୍ଧନ ବୀରସ୍ଥଳୀମାନଙ୍କରେ ସ୍ୱୀୟ ଭୁଜଦଣ୍ଡ ପରିଚାଳନାଦ୍ୱାରା ସ୍ୱରାଜ୍ୟବିସ୍ତାର ଏବଂ ସଭାମାନଙ୍କରେ ବାଗ୍ମୀ ପଣ୍ଡିତୋଚିତ ବାକ୍‌ନିପୁଣତା ଦ୍ୱାରା ବାଣୀଙ୍କର ଗୌରବ ବର୍ଦ୍ଧନ କରି ନିଜ ନାମକୁ ଗୋ ଅର୍ଥାତ୍‌ ଭୂମି ଓ ବାଣୀ ଉଭୟର ବର୍ଦ୍ଧକ ବୋଲି ସାର୍ଥକ କରିଥିଲେ ।।

 

ବନ୍ଦ୍ୟାଂ ବନ୍ଦ୍ୟଘଟୀୟସ୍ୟ ବ୍ରହ୍ମଣଃ ପ୍ରୟତାଂ ସ୍ତତାଂ ।

ସାଙ୍ଗାକାମଙ୍ଗନାରତ୍ନଂ ପତ୍ନୀଂ ସ ପରିଣୀତବାନ୍‌ । ୧୩ ।

 

ସେ ବନ୍ଦ୍ୟଘଟୀ-କୁଳୋଭବ ଜନୈକ ବ୍ରାହ୍ମଣଙ୍କର ବନ୍ଦନୀୟା ସଂଯତା କନ୍ୟା ଅଙ୍ଗନାଶ୍ରେଷ୍ଠ ସାଙ୍ଗାକାର ପାଣିଗ୍ରହଣ କରିଥିଲେ । ୧୩ ।

 

ତସ୍ୟାଂ ସ୍ୱପ୍ନବିଧାନବୋଧିତନିଜୋତ୍ପାଦଃ ସ ଦେବୋ ହରି-

ର୍ଜାତଃ ଶ୍ରୀଭବଦେବମୂର୍ତ୍ତିରମୁତଃ କ୍ଷ୍ମାମଣ୍ଡଳୀକଶ୍ୟପାତ୍‌ ।

ଯତ୍‌ପାଣିପ୍ରଣୟିଦ୍ୱୟଞ୍ଜଳଜୟୋରାଲକ୍ଷିତଂ ଲକ୍ଷ୍ମଣା

ଯସ୍ୟାର୍ନ୍ତନିହିତୋଽସ୍ତି କୌସ୍ତୁଭ ଇତି ଜ୍ଞାତଂ ପ୍ରକାଶୋଦୟାତ୍‌ ।।

 

ସ୍ୱପ୍ନରେ ନିଜ ଜନ୍ମ ଜ୍ଞାପନ କାରି ଭଗବାନ୍‌ ହରି ଧରାମଣ୍ଡଳର କଶ୍ୟପରୂପୀ ଗୋବର୍ଦ୍ଧନଙ୍କଠାରୁ ସେହି ସାଙ୍ଗାକାଙ୍କ ଗର୍ଭରେ ଶ୍ରୀଭବଦେବ ମୂର୍ତ୍ତିରେ ଜନ୍ମଗ୍ରହଣ କରିଥିଲେ; ଚିହ୍ନଦ୍ୱାରା ପଦ୍ମଦ୍ୱୟ ଯାହାଙ୍କର ପାଣିଯୁଗଳର ପ୍ରଣୟୀ ବୋଲି ଲକ୍ଷିତ ହେଉଥିଲା, ଯାହାଙ୍କ ଅଙ୍ଗର ଜ୍ୟୋତିଃପ୍ରକାଶ ଦ୍ୱାରା କୌସ୍ତୁଭ (ମଣି) ଅନ୍ତର୍ନିହିତ (ରହିଅଛି) ବୋଲି ସମସ୍ତେ ଜ୍ଞାତ ହେଉଥିଲେ । ୧୪ ।

 

ଲକ୍ଷ୍ମୀଂ ଦକ୍ଷିଣଦୋଷ୍ଣି ମନ୍ତ୍ରବିଭବେ ବିଶ୍ୱମ୍ଭରାମଣ୍ଡଳଂ

ଜିହ୍ୱାଗ୍ରେ ଚ ସରସ୍ୱତୀଂ ରିପୁତନୌ ନାଗାନ୍ତକଂ ପତ୍ରିଣଂ ।

ଚକ୍ରମ୍ପାଦତଳେ ନିବେଶିତବତା ଦିବ୍ୟଂ ତଦାଦ୍ୟଂ ବପୁ-

ର୍ନିଘୋତୁନ୍ନିଜଚିହ୍ନମେତଦମୁନା ନୂନଂ ବିପର୍ଯ୍ୟାସିତଂ । ୧୫ ।

 

      ସେ ଦକ୍ଷିଣ ହସ୍ତରେ ଲକ୍ଷ୍ମୀଙ୍କୁ, ମନ୍ତ୍ରବିଭବରେ ଧରାମଣ୍ଡଳକୁ, ଜିହ୍ୱାଗ୍ରରେ ସରସ୍ୱତୀଙ୍କୁ, ଶତ୍ରୁଶରୀରରେ ନାଗାନ୍ତକପତ୍ରୀକୁ * ଏବଂ ପାଦତଳରେ ଚକ୍ରକୁ ସନ୍ନିବେଶିତ କରି ତାହାଙ୍କର ସେହି ଆଦ୍ୟ-ଦିବ୍ୟଶରୀର ଗୋପନ କରିବା ନିମିତ୍ତ ନିଶ୍ଚୟ ନିଜର ଏହି ଚିହ୍ନ ସମସ୍ତର ସ୍ଥାନବିପର୍ଯ୍ୟୟ କରାଇଥିଲେ । ୧୫ ।

* ଭବଦେବଙ୍କ ପକ୍ଷରେ-ଶର; ବିଷ୍ଣୁଙ୍କ ପକ୍ଷରେ-ଗରୁଡ଼ ।

 

 

ଯନ୍ମନ୍ତ୍ରଶକ୍ତିସଚିବଃ ସୁଚିରଂ ଚକାର

ରାଜ୍ୟଂ ସ ଧର୍ମବିଜୟୀ ହରିବର୍ମ୍ମଦେବଃ ।

ତନ୍ମନ୍ଦନେ ଚଳତି ଯସ୍ୟ ଚ ଦଣ୍ଡନୀତି-

ର୍ବର୍ତ୍ତ୍ମାନୁଗା ବହଳକଳ୍ପଲତେବ ଲକ୍ଷ୍ମୀଃ । ୧୬ ।

 

ଯାହାଙ୍କର ମନ୍ତ୍ରଶକ୍ତିରୂପ ସଚିବାନ୍ୱିତ ହୋଇ ସେହି ଧର୍ମ୍ମବିଜୟୀ ରାଜା ହରିବର୍ମ୍ମଦେବ ବହୁକାଳ ରାଜତ୍ୱ କରିଥିଲେ, ଏବଂ (ତାହାଙ୍କର) ପୁତ୍ରଙ୍କ ସମୟରେ ମଧ୍ୟ ରାଜଲକ୍ଷ୍ମୀ ବହୁ ସଂଖ୍ୟକ କଳ୍ପଲତା ପରି ଯାହାଙ୍କର ଦଣ୍ଡନୀତି-ପଥର ଅନୁଗାମିନୀ ହୋଇ ଚଳୁଅଛନ୍ତି । ୧୬ ।

 

ସତ୍‌ପାତ୍ରସ୍ୟ ମହାଶୟସ୍ୟ କମଳାଧାରସ୍ୟ ଯସ୍ୟ କ୍ଷମାଂ

ବିଭ୍ରାଣସ୍ୟ ଗୁଣାମ୍ବୁଧେରକଳତସ୍ୟାନ୍ତର୍ନ୍ନଦୀନାତ୍ମନଃ ।

ମର୍ଯ୍ୟାଦାମହୀମପ୍ରସାଦଶୁଚିତାଗାମ୍ଭୀର୍ଯ୍ୟଧୈର୍ଯ୍ୟସ୍ଥିତି-

ପ୍ରାୟାଃ ପ୍ରାୟଶଃ ଏବ ବାକ୍‌ପଥମତିକ୍ରାନ୍ତାଃ ସ୍ୱଦନ୍ତେ ଗୁଣାଃ ।।

 

ସତ୍‌ପାତ୍ର, ମହାଶୟ, ବିପୁଳବିଭବଶାଳୀ, କ୍ଷମାଶୀଳ (ଅଥଚ ପୃଥିବୀ ପାଳକ) ସର୍ବଗୁଣରତ୍ନାକର, ଦୈନ୍ୟଶୂନ୍ୟଅନ୍ତଃକରଣବିଶିଷ୍ଟ ଯେଉଁ ଭବଦେବଙ୍କର ମର୍ଯ୍ୟାଦା, ମହିମା, ପ୍ରସନ୍ନତା, ପବିତ୍ରତା ଗାମ୍ଭୀର୍ଯ୍ୟ, ଧୈର୍ଯ୍ୟ, ଓ ସ୍ଥୈର୍ଯ୍ୟ ପ୍ରଭୃତି ବର୍ଣ୍ଣନାତୀତ ଗୁଣାବଳୀ ସମସ୍ତଙ୍କର ତୃପ୍ତିଭାଜନ ହୋଇଥିଲା । ୧୬ ।

 

ମହାଗୌରୀ କୀର୍ତ୍ତିଃ ସ୍ଫୁରଦସିକରାଳା ଭୁଜଲତା

ରଣ-କ୍ରୀଡ଼ା ଚଣ୍ଡୀ ରିପୁରୁଧିରଚର୍ଚ୍ଚା ରଣଭୁବଃ ।

ମହାଲକ୍ଷ୍ମୀର୍ମ୍ମୂର୍ତ୍ତିଃ ପ୍ରକୃତିଲଳିତାସ୍ତାଗିର ଇତି

ପ୍ରପଞ୍ଚଃ ଶକ୍ତୀନାଂ ଯମିହ ପରମେଶଂ ପ୍ରଥୟତି । ୧୮ ।

ଯେପରି ମହାଗୌରୀ, ଶାଣିତଖଡ୍ଗଧାରିଣୀ କାଳୀ, ରଣକ୍ରୀଡ଼ାକାରିଣୀଚଣ୍ଡୀ, ମହାଲକ୍ଷ୍ମୀ ଓ ସରସ୍ୱତୀ ଏହି ଶକ୍ତି ସମୂହ ପରମେଶ୍ୱରଙ୍କର ତ୍ରିମୂର୍ତ୍ତିର ପରିଚାୟକ, ସେହିପରି ଶୁଦ୍ଧ ଶୁକ୍ଳବର୍ଣ୍ଣବିଶିଷ୍ଟା କୀର୍ତ୍ତି ଉଜ୍ଜଳ ଅସିଯୁକ୍ତ ଭୟଙ୍କର ଭୁଜଲତା, ଭୀଷଣ ରଣକ୍ରୀଡ଼ାଦ୍ୱାରା ରିପୁରୁଧିରଚର୍ଚ୍ଚିତ ରଣସ୍ଥଳ, ସୁଶୋଭନମୂର୍ତ୍ତି, ସ୍ୱଭାବସୁନ୍ଦର ବାକ୍ୟାବଳି, ଯାହାଙ୍କୁ ଏହି ଧରାତଳରେ ପରମେଶ୍ୱର ବୋଲି ପ୍ରଥିତ କରିଥିଲା ।।

ଯଦ୍‌-ବ୍ରାହ୍ମତେଜସି ବଳୀୟସି ମନ୍ଦବୀର୍ଯ୍ୟଃ

ଖଦ୍ୟୋତପୋତକିରଣଂ ତରଣିସ୍ତନୋତି ।

ଉଚ୍ଚୈରୁଦଞ୍ଚତି ଯଦୀୟଯଶଃଶରୀରେ

ଜାତସ୍ତୁଷାରଶିଖରୀ ନନୁ ଜାନୁଦଘ୍ନଃ । ୧୯ ।

ଯାହାଙ୍କର ପ୍ରଚଣ୍ଡ ବ୍ରହ୍ମତେଜଦ୍ୱାରା ସୂର୍ଯ୍ୟଦେବ ହୀନପ୍ରଭ ହୋଇ ଖଦ୍ୟୋତଶାବକପରି କ୍ଷୀଣ ଆଲୋକ ବିସ୍ତାର କରୁଥିଲେ ଏବଂ ଯାହାଙ୍କର ଯଶଃଶରୀର ଉଚ୍ଚରୂପେ ଉତ୍ଥିତ ହେବାରୁ ତୁଷାର ଶିଖରୀ [ ହିମାଦ୍ରି ] ମଧ୍ୟ ଜାନୁପ୍ରମାଣ ହୋଇଥିଲା । ୧୯ ।

ବ୍ରହ୍ମାଦ୍ଵୈତବିଦାମୁଦାହରଣଭୂରୁଭୂତବିଦ୍ୟାଦ୍ଭୁତ-

ସ୍ରଷ୍ଟା ଭଟ୍ଟଗିରାଂ ଗଭୀରିମଗୁଣପ୍ରତ୍ୟକ୍ଷଦୃଶ୍ୱା କବିଃ ।

ବୌଦ୍ଧାମ୍ଭୋନିଧିକୁମ୍ଭସମ୍ଭବମୁନିଃ ପାଷଣ୍ଡବୈତଣ୍ଡିକ-

ପ୍ରଜ୍ଞାଖଣ୍ଡନପଣ୍ଡିତୋଽୟମବନୌ ସର୍ବଜ୍ଞଲୀଳାୟତେ । ୨୦ ।

 

[ଯେ] ବ୍ରହ୍ମାଦ୍ୱୈତବିଦ୍‌ମାନଙ୍କର [ଉତ୍ତର ମୀମାଂସାରେ] ଉଦାହରଣସ୍ଥଳ, ନ୍ୟାୟଶାସ୍ତ୍ରରେ ଅଦ୍ଭୁତସ୍ରଷ୍ଟା, ଭଟ୍ଟବାକ୍ୟାବଳୀର [ ପୂର୍ବମୀମାଂସାର ] ଗଭୀରତାଗୁଣର ପ୍ରତ୍ୟକ୍ଷଦର୍ଶକ ଓ କବି, ବୌଦ୍ଧ ରୂପ ସମୁଦ୍ରର ଅଗସ୍ତ୍ୟମୁନି ଏବଂ ପାଷଣ୍ଡ ଓ ବୈତଣ୍ଡିକ ମାନଙ୍କର ପ୍ରଜ୍ଞାଖଣ୍ଡନରେ ପଣ୍ଡିତ ହୋଇ, ପୃଥିବୀତଳେ ସର୍ବଜ୍ଞପରି ଲୀଳା କରୁଥିଲେ ।।

 

ସିନ୍ଧାନ୍ତତନ୍ତ୍ରଗଣିତାର୍ଣ୍ଣବପାରଦୃଶ୍ୱା

ବିଶ୍ୱାଦ୍ଭୂତପ୍ରସବିତା ଫଳସଂହିତାସୁ ।

କର୍ତ୍ତା ସ୍ୱୟଂ ପ୍ରଥୟିତା ଚ ନବୀନହୋରା-

ଶାସ୍ତ୍ରସ୍ୟ ଯଃ ସ୍ଫୁଟମରୂଦିପରୋ ବରାହଃ । ୨୧ ।

 

      ଯେ ସିନ୍ଧାନ୍ତ, * ତନ୍ତ୍ର ଓ ଗଣିତରୂପ ଅର୍ଣ୍ଣବର ପାରଦାର୍ଶୀ, ଫଳିତଜ୍ୟୋତିଷସଂହିତାରେ ବିଶ୍ୱର ଅଦ୍ଭୁତ ପ୍ରସବିତା, ନୂତନ ହୋରାଶାସ୍ତ୍ରର [ ଗଣିତଜ୍ୟୋତିଷ ] ପ୍ରଣେତା ଓ ପ୍ରଚାରକ ହୋଇ ସ୍ଫୁଟରୂପରେ ଅପର ବରାହସ୍ୱରୂପ ହୋଇଥିଲେ । ୨୧ ।

* ଜ୍ୟୋତିଷର ପଞ୍ଚସିଦ୍ଧାନ୍ତ :- ବ୍ରହ୍ମ, ସୂର୍ଯ୍ୟ, ବଶିଷ୍ଠ, ରୋମକ ଓ ପୁଲିଶ ସିଦ୍ଧାନ୍ତ [ ଗଣବୋଧିନୀ] ।

 

ଯୋ ଧର୍ମ୍ମଶାସ୍ତ୍ରପଦବୀକ୍ଷୁ ଜରନ୍ମିବନ୍ଧା-

ନନ୍ଧୀଚକାର ରଚିତୋଚିତସତ୍ପ, ବନ୍ଧଃ ।

ସୁବ୍ୟାଖ୍ୟାୟା ବିଶଦୟନ୍‌ ମୁନିଧର୍ମ୍ମଗାଥାଃ

ସ୍ମାର୍ତ୍ତକ୍ରିୟାବିଷୟସଂଶୟମୂନ୍ମମାର୍କ୍କ । ୨୨ ।

 

ଯେ ଧର୍ମ୍ମଶାସ୍ତ୍ରପଦବୀରେ ସମୁଚିତ ପ୍ରବନ୍ଧ ସମସ୍ତ ରଚନା କରି ପୁରାତନଶାସ୍ତ୍ରମାନଙ୍କୁ ଅକର୍ମଣ୍ୟ କରି ଦେଇଥିଲେ ଏବଂ ବ୍ୟାଖ୍ୟାଦ୍ୱାରା ମୁନିମାନଙ୍କର ଧର୍ମ୍ମଗାଥା ସମସ୍ତ ବିଶଦୀକୃତ କରି ସ୍ମାର୍ତ୍ତକ୍ରିୟା ବିଷୟର ସଂଶୟରାଶି ଛିନ୍ନ କରିଥିଲେ । ୨୨ ।

 

ମୀମାଂସାୟାମୁପାୟଃ ସ ଖଳୁ ବିରଚିତୋ ଯେନ ଭଟ୍ଟୋକ୍ତନୀତ୍ୟା

ଯନ୍ତ୍ର ନ୍ୟାୟାଃ ସହସ୍ରଂ ରବିକିରଣସମା ନ କ୍ଷମନ୍ତେ ତମାଂସି ।

କିଂ ଭୂମ୍ନା ସୀମ୍ନି ସାମ୍ନାଂ ସକଳକବିକଳାସ୍ୱାଗମେଷ୍ୱତ୍ର ଶାସ୍ତ୍ରେ-

ଷ୍ୱାୟୁର୍ବେଦାସ୍ତ୍ରବେଦପ୍ରଭୃତିଷୁ କୃତଧୀରଦ୍ୱିତୀୟୋଽୟମେବ । ୨୩ ।

 

ଏ ଭଟ୍ଟଙ୍କ ପ୍ରବର୍ତ୍ତିତ ନୀତି ଅନୁସାରେ ପୂର୍ବମୀମାଂସା ଦର୍ଶନର ଏକ ଅପୂର୍ବ ପ୍ରକରଣଗ୍ରନ୍ଥ ରଚନା କରିଥିଲେ, ଯହିଁରେ ସହସ୍ର ସହସ୍ର ନ୍ୟାୟ ସନ୍ନିବିଷ୍ଟ ଥାଇ ସୂର୍ଯ୍ୟକିରଣ ଅନ୍ଧକାର ରାତ୍ରିକୁ ପ୍ରତିହତ କଲା ପରି ଅଜ୍ଞାନର ପ୍ରଭାବ ବିନଷ୍ଟ କରିବାକୁ ସକ୍ଷମ ଅଟେ । ଅଧିକ କି; ଏ ସାମବେଦର ଉପନିଷଦ ଭାଗରେ, ସମସ୍ତ କବିକଳାରେ, ଆଗମରେ ଆୟୁର୍ବେଦ ଏବଂ ଅସ୍ତ୍ରବେଦ ପ୍ରଭୃତି ସମୁଦାୟ ଶାସ୍ତ୍ରରେ କୃତବିଦ୍ୟ ହୋଇ ଜଗତରେ ଅଦ୍ୱିତୀୟ ହୋଇଥିଲେ । ୨୩ ।

 

ଯସ୍ୟ ଖଳୁ ବାଳବଲଭୀଭୁଜଙ୍ଗ ଇତି ନାମ ନାଦୃତଂ କେନ ?

ମୀମାଂସୟାପି ସପୁଲକମାକର୍ଣ୍ଣିତବର୍ଣ୍ଣିତୋଦ୍ପୀତଂ । ୨୪ ।

 

ଯାହାଙ୍କର ‘ବାଳବଲଭୀଭୁଜଙ୍ଗ’ ଏହି ନାମଟି କାହାର ନିକଟରେ ଆଦୃତ ନ ହୋଇଅଛି-? ମୀମାଂସାରେ ମଧ୍ୟ ଏହି ନାମଟି ସପୁଳକରେ ଆକର୍ଣ୍ଣିତ, ବର୍ଣ୍ଣିତ ଏବଂ ଉଦ୍‌ଗୀତ ହୋଇଅଛି । ୨୪ ।

 

ଦଂଷ୍ଟ୍ରାଳଦୁଷ୍ଟଭୁଜଗବ୍ରଣମୋହରାତ୍ରି-

ପ୍ରତ୍ୟୂଷତୂର୍ଯ୍ୟନିନଦୈରିବ ମନ୍ତ୍ରବର୍ଣ୍ଣୈଃ ।

ଯୋ ଜୀବୟନ୍ ଜଗଦଶେଷମଭୂଦପୂର୍ବଂ

ମୃତ୍ୟୁଞ୍ଜୟୋ ଗରଳକେଳିଷୁ ନୀଳକଣ୍ଠଃ । ୨୫ ।

 

ଉତ୍କଟ ବିଷଦନ୍ତଯୁକ୍ତ କ୍ରୂର ସର୍ପମାନଙ୍କର ଦଂଶନଜନିତ ଯେଉଁ ମୋହରାତ୍ରି ଅର୍ଥାତ୍‌ ଅଚେତନାବସ୍ଥା, ତାହାର ଦୂରୀକରଣ ବିଷୟରେ ନିଶାବସାନ ସୂଚକ ତୂର୍ଯ୍ୟନିନାଦ ତୁଲ୍ୟ ମନ୍ତ୍ରବର୍ଣ୍ଣମାନଙ୍କଦ୍ୱାରା ଯେଉଁ ଭବଦେବ ସମସ୍ତ ସଂସାରକୁ ଆଶ୍ଚର୍ଯ୍ୟରୂପେ ଜୀବିତ କରାଇ ଅବଲୀଳାକ୍ରମେ ଗରଳ ବ୍ୟବହାର କରି ମୃତ୍ୟୁଜୟକାରୀ ସ୍ୱୟଂ ଶିବଙ୍କ ତୁଲ୍ୟ ହୋଇଥିଲେ--୨୫-

 

ରାଢ଼ାୟାମଜଳାସୁ ଜାଙ୍ଗଳପଥଗ୍ରାମୋପକଣ୍ଠସ୍ଥଳୀ-

ସୀମାସୁ ଶ୍ରମମଗ୍ନପାନ୍ଥପରିଘପ୍ରାଣାଶୟପ୍ରୀଣନଃ ।

ଯେନାକାରି ଜଳାଶୟଃ ପରିସରସ୍ନାତାଭିଜାତାଙ୍ଗନା-

ବକ୍ତ୍ରାବ୍ଜପ୍ରତିବିମ୍ୱମୁଗ୍ଧମଧୁପୀଶୂନ୍ୟାବ୍ଜି ନୀକାନନଃ । ୨୬ ।

 

ଯେ ରାଢ଼ଦେଶର ଜଳଶୂନ୍ୟ ଜଙ୍ଗଲପଥରେ, ଗ୍ରାମର ଉପକଣ୍ଠରେ ଓ ସୀମାସ୍ଥାନସମୂହରେ ଶ୍ରାନ୍ତପାନ୍ଥମାନଙ୍କର ପ୍ରାଣତୃପ୍ତିକର ଜଳାଶୟମାନ ଖୋଳାଇଥିଲେ, ଯାହାର ଘାଟମାନଙ୍କରେ ସ୍ନାନ କରୁଥିବା କୁଳଙ୍ଗନାମାନଙ୍କର ପ୍ରତିବିମ୍ବିତ ମୁଖପଦ୍ମଦ୍ୱାରା ଭ୍ରମରୀମାନେ ଆକୃଷ୍ଟ ହୋଇ ଆସିବାରୁ ସେହି ଜଳାଶୟମଧିସ୍ଥିତ ପଦ୍ମିନୀ ବନ ଭ୍ରମରୀଶୂନ୍ୟ ହୋଇଥିଲା ।

 

ତେନାୟଂ ଭଗବାନ୍ ଭବାର୍ଣ୍ଣବସମୁତ୍ତାରାୟ ନାରାୟଣଃ

ଶୈଳଃ ସେତୁରିବ ପ୍ରସାଧିତଧରାପୀଠଃ ପ୍ରତିଷ୍ଠାପିତଃ ।

ଯଃ ପ୍ରାଚୀବଦନେନ୍ଦୁନୀଳତିଳକୋ ଲୀଳାବତଂସୋତ୍ପଳଃ

ଭୂମେର୍ଭୂ ତଳପାରିଜାତବିଟପୀ ସଂକଳ୍ପସିଦ୍ଧି ପ୍ରଦଃ । ୨୭ ।

 

(ସେ) ଭବସମୁଦ୍ର ପାର ହେବାର ଶିଳାନିର୍ମ୍ମିତ ସେତୁପରି ଭୂପୃଷ୍ଠର ଅଳଙ୍କାରରୂପୀ ଭଗବାନ୍ ନାରାୟଣଙ୍କୁ ପ୍ରତିଷ୍ଠା କରାଇଥିଲେ; ଯେ [ ଭଗବାନ୍‌ ] ପ୍ରାଚୀଦିଗର ବଦନେନ୍ଦୁର ନୀଳବର୍ଣ୍ଣତିଳକ, ଭୂମିର ଲୀଳାବତଂସ ଉତ୍ପଳ, ସର୍ବସଂକଳ୍ପପ୍ରଦ ଓ ଭୂତଳର ପାରିଜାତବୃକ୍ଷସ୍ୱରୂପ ଅଟନ୍ତି । ୨୭ ।

 

ତେନ ପ୍ରାସାଦ ଏଷ ତ୍ରିପୁରହରଗିରିସ୍ପର୍ଦ୍ଧୟା ବର୍ଦ୍ଧିତଶ୍ରୀଃ

ଶ୍ରୀମାନ୍ ଶ୍ରୀବତ୍ସଲକ୍ଷ୍ମୀ ହରିରିବ ବିହିତୋ ବିସ୍ଫୁରଚ୍ଚକ୍ରଚିହ୍ନଃ ।

ଜିହ୍ଵା ଯୋ ବୈଜୟନ୍ତଂ ବିୟତି ବିତନୁତେ ବୈଜୟନ୍ତୀବିଳାସାନ୍

କୈଳାସେ ନାଭିଳାଷଂ କଳୟତି ଗିରିଶୋ ଯସ୍ୟ ସଂଲକ୍ଷ୍ୟ ଲକ୍ଷ୍ମୀଂ ।।

 

ସେ ଏହି ପ୍ରାସାଦକୁ କୈଳାସପର୍ବତର ସହିତ ସ୍ପର୍ଦ୍ଧାକରି ବର୍ଦ୍ଧିତାଶ୍ରୀ ଏବଂ ଶ୍ରୀବତ୍ସଲଞ୍ଛନ ହରିଙ୍କ ପରି ଶ୍ରୀମାନ୍ ଓ ଚକ୍ରଚିହ୍ନପରିଶୋଭିତ କରିଥିଲେ; ଯେଉଁ [ପ୍ରାସାଦ] ବୈଜୟନ୍ତ [ଇନ୍ଦ୍ରପୁରୀ] ଜୟ କରି ଆକାଶ ମାର୍ଗରେ ବିଜୟପତାକାର ଶୋଭା ବିସ୍ତାର କରୁଅଛି ଏବଂ ଯାହାର ଶ୍ରୀ ସନ୍ଦର୍ଶନ କରି ମହାଦେବ କୈଳାସରେ ମଧ୍ୟ ଅଭିଳାଷ କରନ୍ତି ନାହିଁ । ୨୮ ।

 

ନ୍ୟବୀବିଶଦ୍ବେଶ୍ମନି ତତ୍ରଂ ବିଷ୍ଣୋଃ

ସ ନିର୍ଭରଂ ଗର୍ଭଗୃହାନ୍ତରେଷୁ ।

ନାରାୟଣାନନ୍ତନୃସିଂହମୂର୍ତ୍ତି-

ର୍ବ୍ବିଧାତୃବକ୍ତ୍ରେଷ୍ୱିବ ବେଦବିଦ୍ୟାଃ । ୨୯ ।

 

ସେ ସେହି ପ୍ରାସାଦର ଗର୍ଭଗୃହମଧ୍ୟରେ ବ୍ରହ୍ମାର ମୁଖ ସମୂହରେ ବେଦବିଦ୍ୟାପରି [ବେଦତ୍ରୟୀ ପରି] ଭଗବାନ୍‌ ବିଷ୍ଣୁଙ୍କର ନାରାୟଣ, ଅନନ୍ତ ଓ ନୃସିଂହ ଏହି ତିନୋଟି ମୂର୍ତ୍ତି ସଂସ୍ଥାପନ କରିଥିଲେ । ୨୯ ।

 

ଏତସ୍ମୈ ହରିମେଧସେ ବସୁମତୀବିଶ୍ରାନ୍ତବିଦ୍ୟାଧରୀ-

ବିଭ୍ରାନ୍ତିଂ ଦଧତୀଃ ଶତଂ ସ ହି ଦଦୌ ଶାରଙ୍ଗଶାବୀଦୃଶଃ ।

ଦଗ୍ଧସ୍ୟୋଗ୍ରଦୃଶା ଦୃଶୈବ ଦିଶତୀଃ କାମସ୍ୟ ସଞ୍ଜୀବନଂ

କାରାଃ କାମିଜନସ୍ୟ ସଙ୍ଗମଗୃହଂ ସଂଗୀତକେଳିଶ୍ରିୟାଃ ।।

 

ସେ ଇନ୍ଦ୍ରସମ ଭୋଗାଭିଳଷୀ ସେହି ବାସୁଦେବଙ୍କୁ ପୃଥିବୀରେ ବିଶ୍ରାମାର୍ଥ ଆଗତ ବିଦ୍ୟାଧରୀ-ସଦୃଶ ଏକଶତ ମୃଗନୟନା ଲଳନା ତାଙ୍କର ସେବା ନିମନ୍ତେ ଦାନ କରିଥିଲେ । ଏମାନେ [ଭଗବାନ୍‌] ତ୍ରିନୟନକର୍ତ୍ତୃକ ଭସ୍ମୀକୃତ ମଦନକୁ ମଧ୍ୟ କଟାକ୍ଷପାତରେ ଉଜ୍ଜୀବିତ କରିବାକୁ ସକ୍ଷମ ଏବଂ କାମୁକମାନଙ୍କର କାରାଗାର ସ୍ୱରୂପା ଓ ମନୋହର ସଂଗୀତକ୍ରୀଡ଼ାର ଆଧାରତୁଲ୍ୟ । ୩୦ ।

 

 

ପ୍ରାସାଦାଗ୍ରେ ସ ଖଳୁ ଜଗତଃ ପୁଣ୍ୟପଣ୍ୟୈକବୀଥୀଂ

ଚକ୍ରେ ବାପୀଂ ମରକତମଣିସ୍ଵଚ୍ଛସ୍ୱଚ୍ଛାୟତୋୟାଂ ।

ମଧ୍ୟେ ବାରିପ୍ରତିକୃତିମିଶାଦ୍ଦର୍ଶୟନ୍ତୀବ ତାଦୃକ୍‌

ବିଷ୍ଣୋର୍ଧାମାଦ୍ଭୁତମହିକୁଳସ୍ୟାଧିକଂ ଯା ଚକାସେ । ୩୧ ।

 

ସେ ସେହି ପ୍ରାସାଦର ସମ୍ମୁଖସ୍ଥ ଜାଗତିକପୁଣ୍ୟର ଏକମାତ୍ର ବିପଣି ସ୍ୱରୂପ ପୁଷ୍କରିଣୀକୁ ମରକତମଣିସଦୃଶ ନିର୍ମଳ-ସୁଚ୍ଛାୟ-ଜଳଶାଳିନୀ କରାଇଥିଲେ । ଏହା ଜଳ ମଧ୍ୟରେ ପ୍ରତିବିମ୍ବିତ ମନ୍ଦିରଛାୟାଛଳରେ ପାତାଳଲୋକରେ ଥିବା ନାଗମାନଙ୍କୁ ବିଷ୍ଣୁଙ୍କର ସେହିପରି ଅଦ୍ଭୁତ ଧାମ ଦେଖାଇ ସମଧିକରୂପେ ଶୋଭିତ ହୋଇଥିଲା । ୩୧ ।

 

ବ୍ୟଧିତ ବିବୁଧଧାମ୍ନଃ ସୀମ୍ନି ସଂସାରସାରଂ

ସ ଖଳୁ ନିଖିଳନେତ୍ରାନନ୍ଦନିସ୍ୟନ୍ଦପାତ୍ରଂ ।

ତ୍ରିଭୁବନଜୟଖିନ୍ନାନଙ୍ଗବିଶ୍ରାମଧାମ

ପ୍ରଥିତରତିବିଭାବସ୍ଥାନମୁଦ୍ୟାନରତ୍ନଂ । ୩୨ ।

 

ସେ ସେହି ଦେବପ୍ରାସାଦର ସମୀପରେ ସଂସାରର ସାରସ୍ୱରୂପ ଗୋଟିଏ ଉଦ୍ୟାନରତ୍ନ ପ୍ରସ୍ତୁତ କରିଥିଲେ; ଏହା ସମସ୍ତ ମନୁଷ୍ୟଙ୍କର ନେତ୍ର-ଆନନ୍ଦ-କ୍ଷରଣର ପାତ୍ର, ପରମରତିଉଦ୍ଦୀପକ ଏବଂ ତ୍ରିଭୁବନଜୟଦ୍ୱାରା କ୍ଳାନ୍ତ ଅନଙ୍ଗର ବିଶ୍ରାମସ୍ଥାନ ଅଟେ । ୩୨ ।

 

ତସ୍ୟୈବ ପ୍ରିୟସୁହୃଦା ଦ୍ୱିଜାଗ୍ରିମେଣ

ଶ୍ରୀବାଚସ୍ପତିକବିନା କୃତା ପ୍ରଶସ୍ତିଃ ।

ଆକଳ୍ପଂ ଶୁଚିସଦନେ ସୁମୂର୍ତ୍ତିକୀର୍ତ୍ତି-

ରଧ୍ୟାସ୍ତାଂ ଜଘନମିୟଂ ସୁବର୍ଣ୍ଣକାଞ୍ଚୀ । ୩୩ ।

 

ତାହାଙ୍କର ପ୍ରିୟସୁହୃଦ୍‌ ଦ୍ୱିଜଶ୍ରେଷ୍ଠ ଶ୍ରୀବାଚସ୍ପତିକବିକର୍ତ୍ତୃକ ଏହି ପ୍ରଶସ୍ତି ବିରଚିତ ହୋଇଅଛି । ଏହି ପ୍ରଶସ୍ତି ସୁବର୍ଣ୍ଣ କାଞ୍ଚିର ତୁଲ୍ୟ ପବିତ୍ର ପ୍ରାସାଦରୂପ ଜଘନରେ ସୁମୂର୍ତ୍ତି ଓ ସୁନ୍ଦର କୀର୍ତ୍ତିସ୍ୱରୂପ କଳ୍ପପର୍ଯ୍ୟନ୍ତ ଅବସ୍ଥିତ ହେଉ । ୩୩ ।

      

*            *            *            *

 

ପ୍ରଶସ୍ତିରିୟଂ ବାଳବଲଭୀଭୁଜଙ୍ଗା-

ପରନାମ୍ନୋ ଭଟ୍ଟଶ୍ରୀଭବଦେବସ୍ୟ । ୩୪

      

*            *            *            *

ବାଳବଲ୍ଲଭୀଭୁଜଙ୍ଗ ଆଖ୍ୟାଧାରୀ ଭଟ୍ଟଭବଦେବଙ୍କର ଏହି ପ୍ରଶସ୍ତି । ୩୪ ।

———————

 

ପ୍ରଶସ୍ତିର ସାରମର୍ମ୍ମ ।

ସାବର୍ଣ୍ଣଗୋତ୍ରର ଶ୍ରୋତ୍ରିୟମାନେ ରାଜାଙ୍କଠାରୁ ଅନେକ ଗୁଡ଼ିଏ ଗ୍ରାମ ଦାନ ପାଇଥିଲେ । ସେମାନଙ୍କ ମଧ୍ୟରେ ସିଦ୍ଧଳ ଗ୍ରାମ ପ୍ରଥମ ଅଟେ । ଏହି ଗ୍ରାମରେ ମହାଦେବ, ଭବଦେବ ( ୧ମ ) ଓ ଅଟ୍ଟହାସ ନାମରେ ତିନିଜଣ ମହାତ୍ମା ଜନ୍ମଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ଭବଦେବ ବିଦ୍ୟା ବୁଦ୍ଧିରେ ଶ୍ରେଷ୍ଠ ଥିଲେ । ଏହି ମହାତ୍ମା ଗୌଡ଼ାଧିପଙ୍କଠାରୁ ହସ୍ତିନୀ ଗ୍ରାମ ପାଇଥିଲେ । ଏହାଙ୍କଠାରୁ ରଥାଙ୍ଗ ପ୍ରଭୃତି ଆଠଗୋଟି ପୁତ୍ର ଜାତ ହୋଇଥିଲେ । ରଥାଙ୍ଗଙ୍କ ପୁତ୍ର ଅତ୍ୟଙ୍ଗ, ତାହାଙ୍କ ପୁତ୍ର ବୁଧ ଅଟନ୍ତି । ବୁଧଙ୍କ ପୁତ୍ର ଆଦିଦେବ ବଙ୍ଗାଧିପଙ୍କର ପ୍ରଧାନ ମନ୍ତ୍ରୀ ଥିଲେ । ଆଦିଦେବଙ୍କ ପୁତ୍ର ଗୋବର୍ଦ୍ଧନ, ବନ୍ଦ୍ୟଘଟୀ କୁଳୋଦ୍ଭବା ଏକ ଧାର୍ମିକାର ପ୍ରାଣିଗ୍ରହଣ କରିଥିଲେ । ତାହାଙ୍କ ଗର୍ଭରୁ ପଣ୍ଡିତପ୍ରବର ( ଦ୍ୱିତୀୟ ) ଭବଦେବ ଜାତ ହୋଇଥିଲେ । ଏହି ଭବଦେବଙ୍କ ମନ୍ତ୍ରଣାବଳରେ ହରିବର୍ମ୍ମାଦେବ ଓ ତତ୍ପୁତ୍ତ୍ର ବହୁକାଳ ରାଜ୍ୟଲକ୍ଷ୍ମୀ ଭୋଗ କଲେ । ଭବଦେବ, ସିଦ୍ଧାନ୍ତ, ତନ୍ତ୍ର, ଗଣିତ ଓ ଆୟୁର୍ବେଦରେ ପାରଦର୍ଶୀ ଥିଲେ । ସେ ନୂତନ ଜ୍ୟୋତିଷଶାସ୍ତ୍ର, ମୀମାଂସ ଶାସ୍ତ୍ର ଓ ନ୍ୟାୟଶାସ୍ତ୍ର ପ୍ରଣୟନ କରିଥିଲେ । ସେ ରାଢ଼ ଦେଶର ନାନା ସ୍ଥାନରେ ଜଳାଶୟମାନ ଖୋଳାଇ ଦେଇଥିଲେ । ଏହି ମହାତ୍ମା ଅନନ୍ତବାସୁଦେବଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ମନ୍ଦିର ମଧ୍ୟରେ ପ୍ରବେଶ କରାଇଥିଲେ ଏବଂ ବିନ୍ଦୁସାଗରର ପଙ୍କୋନ୍ଧାର କରାଇଥିଲେ । ଭବଦେବଙ୍କର ଅପର ନାମ ବାଳବଲଭୀଭୁଜଙ୍ଗ ଅଟେ । ତାହାଙ୍କର ପ୍ରିୟ ମିତ୍ର କବି ଶ୍ରୀବାଚସ୍ପତି ମିଶ୍ର ଏହି ପ୍ରଶସ୍ତି ରଚନା କରିଥିଲେ ।

 

ସମାପ୍ତ ।